ଯୁବ ଲେଖକଙ୍କ ଲିଖିତ ପୁସ୍ତକ ‘ଜଗନ୍ନାଥ: ରାଷ୍ଟ୍ରନୀତିର ନାଭିବ୍ରହ୍ମ’ ଲୋକାର୍ପିତ

Odisha Hot News
2 Min Read

ଭୁବନେଶ୍ବର : ଆଜି ‘ସମ୍ବାଦ ଭବନ’ ପରିସରରେ ଯୁବ ସାମ୍ବାଦିକ ତଥା ଲେଖକ ହରିହର ପଣ୍ଡାଙ୍କ ଲିଖିତ ପୁସ୍ତକ ତଥା ଆମେରିକାର ‘ବ୍ଲାକ୍‌ ଇଗଲ୍‌ ବୁକ୍ସ୍‌’ ପକ୍ଷରୁ ପ୍ରକାଶିତ ‘ଜଗନ୍ନାଥ: ରାଷ୍ଟ୍ରନୀତିର ନାଭିବ୍ରହ୍ମ’ ଉନ୍ମୋଚନ ହୋଇଯାଇଅଛି  ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ବିପିନ ବିହାରୀ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜଗନ୍ନାଥ କେବଳ ଓଡ଼ିଶାର ପରିଚୟ ନୁହନ୍ତି, ସାରା ଦେଶ ଓ ବିଶ୍ବ ପାଇଁ ସେ ହେଉଛନ୍ତି ଏକାନ୍ତ ଭାବେ ଏକ ଅପରିହାର୍ଯ୍ୟ ମୂଲ୍ୟବୋଧର ପ୍ରତୀକ, ଏହି କଥାଟି ଆମ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିବା ଉଚିତ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଲେଖକ ଶ୍ରୀ ପଣ୍ଡା ନିଜ ପୁସ୍ତକ ବିଷୟରେ ସାମ୍ୟକ ସୂଚନା ଦେଇ କହିଲେ, ଏହି ପୁସ୍ତକଟି ଜଗନ୍ନାଥଙ୍କ ଭାବ ଭକ୍ତିଠାରୁ ଟିକେ ଦୂରରେ। ଐତିହାସିକ ପୃଷ୍ଠଭୂମିରେ ଓଡ଼ିଶାର ରାଜନୈତିକ ପ୍ରସଙ୍ଗକୁ ନେଇ ଗଳ୍ପ ଆକାରରେ ଲିଖିତ ଏହି ପୁସ୍ତକ ସବୁ ବର୍ଗର ପାଠକଙ୍କୁ ଆକର୍ଷିତ କରିବ। ପୁସ୍ତକରେ ୭୨ଟି ଗଳ୍ପ ଆକାରରେ  ଦ୍ୱାଦଶ ଶତାବ୍ଦୀର ଗଙ୍ଗେଶ୍ୱର ଦେବଙ୍କ ରାଜତ୍ୱ ସମୟରୁ ନେଇ ଊନବିଂଶ ଶତାବ୍ଦୀର ଇଂରେଜ ଶାସନ ପର୍ଯ୍ୟନ୍ତ ଦୀର୍ଘ ସାତଶହ ବର୍ଷର ଘଟଣାକ୍ରମକୁ ତାଙ୍କ ବହିର ପୃଷ୍ଠଭୂମି ଭାବେ ଗ୍ରହଣ କରିଛନ୍ତି । ଏହା ଭିତରେ ଘଟିଥିବା ବହୁ ନାଟକୀୟ, ଲୋମହର୍ଷକ ଓ ରୋମାଞ୍ଚକର ଘଟଣାର ବର୍ଣ୍ଣନା କରିଛନ୍ତି ଲେଖକ, ଯାହା ପାଠକଙ୍କୁ ମନ୍ତ୍ରମୁଗ୍ଧ କରି ରଖିବ । କେଉଁ କେଉଁ ପ୍ରକାର ନାଟକୀୟ ଘଟଣାକ୍ରମ ଦେଇ ଓଡ଼ିଆ ଜାତି ଆସିଛି, କେତେ ଅଦ୍ଭୁତ ଘଟଣାମାନ ପ୍ରତ୍ୟକ୍ଷ କରିଛନ୍ତି ଉକ୍ରଳର ଗଜପତିଗଣ ପୁଣି ନିଜେ ଶ୍ରୀଜଗନ୍ନାଥ କି ପ୍ରକାର ସଙ୍କଟ ପରିସ୍ଥିତି ଦେଇ ଗତି କରିଛନ୍ତି ଏବଂ କେଉଁ କେଉଁ ଧରଣର ପରିବର୍ତ୍ତନ ଦେଇ ଶ୍ରୀଜଗନ୍ନାଥ ମନ୍ଦିରର ରୀତିନୀତି ବ୍ୟବସ୍ଥିତ ହୋଇ ଆସିଛି ସେସବୁରୁ ଅଧିକାଂଶ ଉଲ୍ଲେଖ ରହିଛି ଏହି ବହିରେ ।

‘ପୌରୁଷ’ର ସମ୍ପାଦକ ତଥା ଜଗନ୍ନାଥ ସଂସ୍କୃତି ଗବେଷକ ଅସିତ ମହାନ୍ତି ପୁସ୍ତକର ସମୀକ୍ଷା କରି କହିଲେ, ଶ୍ରୀ ପଣ୍ଡା ଏହି ପୁସ୍ତକଟିକୁ ଏକ ଭକ୍ତ କିମ୍ବା ସାମ୍ବାଦିକ ହିସାବରେ ଲେଖିନାହାନ୍ତି। ଐତିହାସିକ କଥାବସ୍ତୁକୁ ନେଇ ଏହା ଏକ ସମ୍ପୂର୍ଣ୍ଣ ଗବେଷଣାଧର୍ମୀ ପୁସ୍ତକ। ଏହାକୁ ପଢ଼ିବା ଦ୍ବାରା ଜ୍ଞାନର ପରିସୀମା ବୃଦ୍ଧି ପାଇବା ସହ ବହୁ ତଥ୍ୟ ମଧ୍ୟ ମିଳିପାରିବ। କାର୍ଯ୍ୟକ୍ରମରେ ବିଶିଷ୍ଟ କଥାକାର ଗୌରହରି ଦାସ ସମ୍ମାନିତ ଅତିଥି ଭାବେ ‌ଯୋଗ ଦେଇ କହିଲେ, ପୁସ୍ତକଟିର ପ୍ରତିଟି ଗଳ୍ପରେ ଐତିହାସିକ କଥାବସ୍ତୁକୁ କାହାଣୀ ଢଙ୍ଗରେ ଉପସ୍ଥାପନା କରାଯାଇଛି। ପୁସ୍ତକରେ ଲେଖକଙ୍କ ଭାଷା ଅତ୍ୟନ୍ତ ବେଗଗାମୀ, ପ୍ରାଣବନ୍ତ ଓ ଆବେଗଧର୍ମୀ ହୋଇଛି ବୋଲି ଶ୍ରୀ ଦାସ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପ୍ରଫେସର ଉମାକାନ୍ତ ମିଶ୍ର ଓ ପ୍ରାବନ୍ଧିକ ଶଶିଭୂଷଣ ରଥ ଉପସ୍ଥିତ ଥିଲେ। ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ ଓ ଯୁବ ସାହିତ୍ୟିକ କ୍ଷେତ୍ରବାସୀ ନାୟକ ଧନ୍ୟବାଦ ଜଣାଇଥିଲେ।

 

Share This Article
Leave a Comment