କିଏ ହେବେ ବାଚସ୍ପତି?

Odisha Hot News
1 Min Read

ଭୁବନେଶ୍ବର : ପଞ୍ଚମ ଥର ପାଇଁ ଓଡ଼ିଶାରେ ସରକାର ଗଢ଼ିବ ବିଜୁ ଜନତା ଦଳ। ତିନି ଦିନ ପରେ ରାଜଧାନୀର ପ୍ରଦର୍ଶନୀ ପଡ଼ିଆରେ ନୂଆ ସରକାରର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କ ସମେତ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବେ। ଏହି ଉତ୍ସବର ଅଳ୍ପ ଦିନ ଭିତରେ ବିଧାନସଭାର ଦୁଇଦିନିଆ ସ୍ବତନ୍ତ୍ର ଅଧିବେଶନ ଡକାଯାଇ ନବ ନିର୍ବାଚିତ ୧୪୬ ଜଣ ବିଧାୟକଙ୍କୁ ଷୋଡ଼ଶ ବିଧାନସଭା ପାଇଁ ଶପଥ ପାଠ କରାଯିବ। ଏଥିପାଇଁ ନିର୍ବାଚିତ ହୋଇଥିବା ବିଜୁ ଜନତା ଦଳର ବିଧାୟକଙ୍କ ଭିତରୁ ବରିଷ୍ଠତା ଆଧାରରେ ପ୍ରୋଟେମ୍ ବା ଅସ୍ଥାୟୀ ବାଚସ୍ପତି ନିଯୁକ୍ତ କରିବାକୁ ବିଧାନସଭା ସଚିବାଳୟ ୧୪ ଜଣ ବରିଷ୍ଠ ବିଧାୟକଙ୍କ ନାମ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି।

ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପିପିଲି ବିଧାୟକ ପ୍ରଦୀପ ମହାରଥୀ, ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର, ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାଏ, ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ସମେତ ଅନ୍ୟ ବିଧାୟକଙ୍କ ଭିତରୁ ଜଣଙ୍କୁ ପ୍ରୋଟେମ୍ ବାଚସ୍ପତି ନିଯୁକ୍ତ କରିବା ପାଇଁ ସଂସଦୀୟ ବ୍ୟାପାର ବିଭାଗକୁ ପ୍ରସ୍ତାବ ଦିଆଯାଇଛି। ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ପ୍ରୋଟେମ୍ ବାଚସ୍ପତିଙ୍କୁ ରାଜ୍ୟପାଳ ଶପଥ ପାଠ କରାଇବା ପରେ ନବନିର୍ବାଚିତ ବିଧାୟକମାନଙ୍କୁ ଶପଥ ପାଠ କରାଇବା ଲାଗି ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଯିବ।

Share This Article
Leave a Comment