କଟକ :‘ଷ୍ଟୋନ୍ମ୍ୟାନ୍’ କୁହାଯାଉଥିବା ନାରାୟଣ ସାହୁକୁ ଆଜି ୨ଟି ହତ୍ୟାକାଣ୍ଡରେ ଗିରଫ କରି କମିସନରେଟ୍ ପୁଲିସ୍ କୋର୍ଟଚାଲାଣ କରିଛି। ତା’ ନିକଟରୁ ଗୋଟିଏ ଟାେୱଲ୍ ଓ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଜବତ କରାଯାଇଛି। ତାକୁ ୫ ଦିନ ପାଇଁ ରିମାଣ୍ଡରେ ଅଣାଯିବ ଏବଂ ତା’ର ଡିଏନ୍ଏ ଓ ପଲିଗ୍ରାଫ୍ ପରୀକ୍ଷା କରାଯିବ ବୋଲି ପୁଲିସ୍ ସୂଚନା ଦେଇଛି।
ଗିରଫ ନାରାୟଣର ଘର ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ସୁନାମୁହିଁ। ନାରାୟଣକୁ ଦୁଇଟି ହତ୍ୟାକାଣ୍ତରେ ଅଭିଯୁକ୍ତ ଦର୍ଶାଯାଇଛି। ଓଏମ୍ପି ଛକସ୍ଥିତ ପାରଳା ମହାରାଜ ଉଦ୍ୟାନ ସାମ୍ନାରେ ପଣ୍ତା ଏବ˚ ଓଏମ୍ପି ଓଭରବ୍ରିଜ ତଳେ ଜରିଗୋଟାଳୀ ବୃଦ୍ଧଙ୍କୁ ସେ ଟାଙ୍ଗିଆରେ ହତ୍ୟା କରିଥିବା ପୁଲିସ୍ କହିଛି। କିନ୍ତୁ ରାଣୀହାଟ ହତ୍ୟାକାଣ୍ତରେ ବର୍ତ୍ତମାନ ସୁଦ୍ଧା ନାରାୟଣର ସିଧାସଳଖ ସଂପୃକ୍ତି ମିଳି ପାରିନଥିବାରୁ ସେ ମାମଲାରେ ତାକୁ ସଂପୃକ୍ତ କରାଯାଇ ନଥିବା ଡିସିପି ଅଖିଳେଶ୍ବର ସି˚ହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି।
ନାରାୟଣକୁ ରିମାଣ୍ଡରେ ଆଣିବାକୁ ଯୋଜନା କରାଯାଉଛି। କିନ୍ତୁ ମାସକ ଭିତରେ ସମାନ ଢଙ୍ଗରେ ଖାନନଗରରେ ଜଣେ ଅଜଣା ଯୁବକଙ୍କୁ ହତ୍ୟାର ରହସ୍ୟ ବି ସନ୍ଦେହ ଭିତରେ ରହି ଯାଇଛି।
ସୂଚନାଯୋଗ୍ୟ ଯେ, ରାଣୀହାଟ କେନାଲ ରୋଡ ନିକଟରେ ଥିବା ଏକ ଚା’ ଦୋକାନରେ କାମ କରୁଥିବା କାଳିଆ ଓରଫ କୋଦଣ୍ତ ରାଉତଙ୍କୁ ୨୩ ତାରିଖ ଭୋର ପ୍ରାୟ ୪ଟା ବେଳେ ହତ୍ୟା କରାଯାଇଥିଲା। ତାଙ୍କ ମୁଣ୍ତକୁ ପଥରରେ ଛେଚିବା ସହିତ ବେକ କାଟି ‘ଷ୍ଟୋନମ୍ୟାନ’ ହତ୍ୟା କରିଥିଲେ। ଏ ସ˚କ୍ରାନ୍ତରେ ମଙ୍ଗଳାବାଗ ଥାନା ପୁଲିସ ଏକ ମାମଲା(କେସ୍ ନ˚ ୧୭୧/୧୯) ରୁଜୁ କରି ଘଟଣାର ତଦନ୍ତ କରିଥିଲା। ପୁଣି ୨୪ ତାରିଖରେ ପାରଳା ମହାରାଜ ଉଦ୍ୟାନ ସାମ୍ନା ଫୁଟପାଥରେ ପଣ୍ତା ନାମକ ପାଣି ଭାର ବୁହାଳିଙ୍କୁ ଭୋର ୪ଟା ବେଳେ ହତ୍ୟା ଘଟଣାରେ ଚାଉଳିଆଗଞ୍ଜ ପୁଲିସ ଆଉ ଏକ ମାମଲା(କେସ ନ˚ ୨୨୭/୧୯) (ହତ୍ୟା) ରୁଜୁ କରିଥିଲା। ଏବ˚ ବଡ଼ ମେଡିକାଲ ସାମନାରୁ ମିଳିଥିବା ଜରିଗୋଟାଳୀଙ୍କ ମୃତଦେହକୁ ନେଇ ମଙ୍ଗଳାବାଗ ଥାନା ପୁଲିସ ଆଉ ଏକ ହତ୍ୟା ମାମଲା(କେସ ନ˚ ୧୭୨) ରୁଜୁ କରିଥିଲା। ତିନୋଟି ହତ୍ୟାକାଣ୍ତରେ ଦଫା ୩୦୨(ହତ୍ୟା) ମାମଲା ରୁଜୁ ହୋଇଥିଲା। ଏସବୁ ଘଟଣା ପୂର୍ବରୁ ବାଦାମବାଡି ଥାନା ପୁଲିସ ଜୁଲାଇ ୧ ତାରିଖରେ ଖାନନଗର ବେତବିନ୍ଧାଣୀ ଅଞ୍ଚଳରୁ ମିଳିଥିବା ଅଜଣା ଯୁବକଙ୍କ ମୃତଦେହକୁ ନେଇ ବି ଏକ ହତ୍ୟା ମାମଲା ରୁଜୁ କରିଥିଲା। ଏସବୁ ହତ୍ୟା ପଛର ରହସ୍ୟ ସ୍ପଷ୍ଟ ହେଉ ନଥିବା ବେଳେ ପୁଲିସ ଅଭିଯୁକ୍ତକୁ ଧରିବା ପାଇଁ ସ୍ବତନ୍ତ୍ର ଟିମ ଗଠନ କରିଥିଲା। ସେହି ଟିମ୍ ଗଲା ୨୯ ତାରିଖରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ସୁନାମୁହିଁର ନାରାୟଣ ସାହୁକୁ ଘରୁ ଉଠାଇ ଆଣିଥିଲା। ତାକୁ ଜେରା ଓ ଛାନ୍ଭିନ୍ ପରେ ଆଜି କୋର୍ଟଚାଲାଣ କରାଯାଇଛି। ପୁଲିସ୍ ଆଜି ନାରାୟଣ ହତ୍ୟାକାଣ୍ତରେ ବ୍ୟବହାର କରିଥିବା ଟାଙ୍ଗିଆ ଏବ˚ ହତ୍ୟାକାଣ୍ତ ଦିନ ପିନ୍ଧିଥିବା ଟାେଵଲ୍କୁ ଓଏମ୍ପି-କଲେଜ ଛକ ଓଭରବ୍ରିଜର ଡାହାଣପଟେ ରହୁଥିବା ଜରି ପାଲ ଘରୁ ଜବତ କରିଛି। ଏସବୁ ରସୁଲଗଡ଼ ଫରେନ୍ସିକ୍ ସାଇନ୍ସ ଲାବ୍ରୋଟେରୀକୁ ପଠାଯିବ। ସେଥିରେ ବ୍ଲଡ୍ ଷ୍ଟେନ୍ ଅଛି କି ନାହିଁ, ସେ ନେଇ ପରୀକ୍ଷା କରିବାକୁ ପଠାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।
