ଭୁବନେଶ୍ବର: କରୋନା ଭାଇରସ୍ ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଫେବ୍ରୁଆରି ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି।ଫେବ୍ରୁଆରି ୧ରୁ ୨୮ ଯାଏଁ ଜାରି ରହିବ ଏହି ଗାଇଡଲାଇନ । ନୂଆ ଗାଇଡଲାଇନ୍ ଅନୁସାରେ କଣ୍ଟେନ୍ମେଣ୍ଟ ଜୋନ୍ ଅଞ୍ଚଳରେ ଲକ୍ଡାଉନ୍ ଜାରି କରାଯାଇପାରିବ। ତେବେ କଣ୍ଟେନମେଣ୍ଟ୍ ଜୋନ ବାହାରେ କିପରି ଗତିବିଧି ରହିବ ସେ ନେଇ ଗାଇଡଲାଇନରେ ସ୍ପଷ୍ଟ ସୂଚନା ଦିଆଯାଇଛି। ଗୋଟିଏ ପକ୍ଷରେ ଫେବ୍ରୁଆରିରେ ସ୍କୁଲ ଓ କଲେଜ ଖୋଲିବା ନିଷ୍ପତ୍ତି ଯଥାକ୍ରମେ ଗଣଶିକ୍ଷା ବିଭାଗ ଓ ଉଚ୍ଚଶିକ୍ଷା ବିଭାଗ ଉପରେ ଛଡ଼ା ଯାଇଥିବା ବେଳେ ଫେବ୍ରୁଆରି ୧ରୁ ଅଙ୍ଗନବାଡ଼ି କେନ୍ଦ୍ର ଖୋଲାଯିବ ବୋଲି କୁହାଯାଇଛି।
ଏହା ସହ ଅନ୍ତିମକ୍ରିୟା ଏବଂ ବିବାହ ପାଇଁ ଯୋଗଦାତାଙ୍କ ସଂଖ୍ୟାକୁ ରାଜ୍ୟ ସରକାର ୫୦୦କୁ ବୃଦ୍ଧି କରିଛନ୍ତି। ଗତ ମାସରେ ଏହା ୧୦୦ରେ ସୀମିତ ଥିଲା। ଏବେ ସାମାଜିକ, ଧାର୍ମିକ, ରାଜନୈତିକ, କ୍ରୀଡା ସମାବେଶ ପାଇଁ ମଧ୍ୟ ୫୦୦ ଜଣଙ୍କୁ ଅନୁମତି ମିଳିଛି । ଏନେଇ ସ୍ଥାନୀୟ ପ୍ରଶାସନ ଠାରୁ ଅନୁମତି ନେବାକୁ ପଡିବ । ତେବେ ବନ୍ଦ କୋଠରୀ ମଧ୍ୟରେ ୫୦ପ୍ରତିଶତ ଲୋକଙ୍କୁ ନେଇ କାର୍ଯ୍ୟକ୍ରମ ଚାଲିବା ସହ ସମସ୍ତ କରୋନା କଟକଣା ପାଳନ କରିବାକୁ ସରକାର କହିଛନ୍ତି। ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବା ନେଇ ବେସାମରିକ ବିମାନ ଚଳାଚଳ / ଗୃହ ମନ୍ତ୍ରାଳୟ ନିଷ୍ପତ୍ତି ନେବେ। ଅବରୋଧ ଅଞ୍ଚଳର ସୀମା ଜିଲ୍ଲାପାଳ ଓ ସ୍ଥାନୀୟ କର୍ତ୍ତୃପକ୍ଷ ସ୍ଥିର କରିବା ସହ ଖୋଲା ସ୍ଥାନରେ ସମସ୍ତଙ୍କୁ ସାମଜିକ ଦୂରତା ମାନିବାକୁ କୁହାଯାଇଛି।

Comment