ଭଦ୍ରକ: ଆଗାମୀ ପୌର ନିର୍ବାଚନରେ ଭଦ୍ରକ ପୌର ପରିଷଦ ପାଇଁ ଭୋଟଦାନ କାର୍ଯ୍ୟ ପରିଚାଳନା ନିମନ୍ତେ ନିଯୁକ୍ତି ପାଇଥିବା ପ୍ରିଜାଇଡ଼ିଂ ଏବଂ ୧ମ ପୋଲିଂ ଅଧିକାରୀମାନଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ସଂସ୍କୃତି ଭବନରେ ଆଜି ଠାରୁ ତିନି ଦିନ ଧରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଜିଲ୍ଲାପାଳ ତ୍ରିଲୋଚନ ମାଝୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିର୍ବାଚନ କାର୍ଯ୍ୟ ପରିଚାଳନାରେ ପୋଲିଂ ଅଧିକାରୀମାନଙ୍କର କର୍ତ୍ତବ୍ୟ, ଦାୟିତ୍ୱ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଭଦ୍ରକ ବି.ଡ଼ି.ଓ ମନୋଜ କୁମାର ବେହେରା ଏହି ନିର୍ବାଚନ କାର୍ଯ୍ୟ ପରିଚାଳନା ନେଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବୁଝାଇଥିଲେ । ରାଜ୍ୟ ସ୍ତରୀୟ ମାଷ୍ଟର ଟ୍ରେନର ଭାବେ ଡ଼ି.ଆଇ.ସି., ଭଦ୍ରକ କାର୍ଯ୍ୟାଳୟର ଆଇ.ପି.ଓ. ଶଶି ଶେଖର ବେହେରା, ଜିଲ୍ଲାସ୍ତରୀୟ ମାଷ୍ଟର ଟ୍ରେନର ଭଦ୍ରକର ସି.ଆର.ସି.ସି. ବିମ୍ବାଧର ସେନାପତି, ଭଣ୍ଡାରିପୋଖରୀ ର ପ୍ରଶାନ୍ତ କୁମାର ଜେନା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇ ଦୃଶ୍ୟଶ୍ରାବ୍ୟ ଫଳକ ମାଧ୍ୟମରେ ଭୋଟଦାନ କାର୍ଯ୍ୟକ୍ରମ ସମ୍ବଳିତ ପ୍ରତ୍ୟେକ ସୋପାନକୁ ପ୍ରାଞ୍ଜଳଭାବେ ବୁଝାଇଥିଲେ ।
ପ୍ରତ୍ୟକ୍ଷଭାବେ ଇ.ଭି.ଏମ୍ ମେସିନ୍ର ବ୍ୟାଲଟ୍ ୟୁନିଟ୍ ଓ କଣ୍ଟ୍ରୋଲ ୟୁନିଟ୍ର ପରିଚାଳନା ଦେଖାଯିବା ସହିତ ସମସ୍ତଙ୍କୁ ନିଜେ ନିଜେ ପରିଚାଳନା କରି ଶିଖିବାକୁ ସୁଯୋଗ ଦିଆଯାଇଥିଲା । ବୁଥ୍ ପରିଚାଳନାରେ ବୁଥ୍ ପାଇଁ ଆନୁଷଙ୍ଗିକ ସରଞ୍ଜାମ, ବୁଥ୍ ମଧ୍ୟରେ ଦଳୀୟ ଏଜେଣ୍ଟମାନଙ୍କର ଭୂମିକା, ମକ୍ପୋଲ ପରିଚାଳନା, କାଉନ୍ସିଲର ଓ ପୌରାଧ୍ୟକ୍ଷ ନିର୍ବାଚନ ପାଇଁ ପୃଥକ୍ ଇ.ଭି.ଏମ୍. ଓ ପୃଥକ୍ ଭୋଟଦାନ କକ୍ଷ, ଆନୁଷଙ୍ଗିକ ସମସ୍ତ କାଗଜାଦି କାର୍ଯ୍ୟ ସମ୍ବନ୍ଧରେ ସବିଶେଷ ବ୍ୟାଖ୍ୟା କରାଯାଇଥିଲା । ଉଲ୍ଲେଖଯୋଗ୍ୟ କି ଏହି ଭୋଟଦାନ କାର୍ଯ୍ୟ ସକାଳ ୮ଘ ରୁ ଆରମ୍ଭ ହୋଇ ଅପରାହ୍ନ ୫ଘ. ପର୍ଯ୍ୟନ୍ତ ଚାଲିବ । ଭଦ୍ରକ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ ମଧ୍ୟ ଏହି ପ୍ରଶିକ୍ଷଣ ଶିବିରରେ ଉପସ୍ଥିତ ଥିଲେ । ଭଦ୍ରକ ପୌରପରିଷଦର ନିର୍ବାଚନ କାର୍ଯ୍ୟ ପରିଚାଳନାରେ ସମୁଦାୟ ୮୩ଟି ବୁଥ ପାଇଁ ରିଜର୍ଭ ସହ ୧ମ ପୋଲିଂ ଓ ପ୍ରିଜାଇଡ଼ିଂ ଅଧିକାରୀ ମିଶି ୧୯୦ ଜଣଙ୍କୁ ତାଲିମ୍ ଦିଆଯିବ । ସୂଚନାଯୋଗ୍ୟକି ପ୍ରତି ବୁଥ୍ରେ ୧ମ ପୋଲିଂ ଅଧିକାରୀଙ୍କ ବ୍ୟତୀତ ୨ୟ, ୩ୟ ଏବଂ ୪ର୍ଥ ପୋଲିଂ ଅଧିକାରୀ ମଧ୍ୟ ଭୋଟଦାନ କାର୍ଯ୍ୟରେ ନିୟୋଜିତ ହେବେ ।
ସାଧାରଣ ପୌର ନିର୍ବାଚନ କାର୍ଯ୍ୟ ପରିଚାଳନା ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Comment