ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳ ପାଇଁ ପାନୀୟ ଜଳ ଯୋଜନାର ସମୀକ୍ଷା

Odisha Hot News
2 Min Read

ଭୁବନେଶ୍ୱର, ୦୭।୦୧ : ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳ ପାଇଁ ପାନୀୟ ଜଳ ନିରାପତ୍ତା ଯୋଜନାର ସମୀକ୍ଷା। ଭବିଷ୍ୟତର ସହରାଞ୍ଚଳ ଚାହିଦା ପୂରଣ ପାଇଁ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବାକୁ ୱାଟକୋକୁ ନିର୍ଦ୍ଦେଶ। ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀ ଭୁବନେଶ୍ଵର ଏବଂ ଆଖପାଖ ଅଞ୍ଚଳ ପାଇଁ ୱାଟକୋ ଦ୍ୱାରା ପ୍ରସ୍ତୁତ ପାନୀୟ ଜଳ ସୁରକ୍ଷା ଯୋଜନାର ସମୀକ୍ଷା କରିଛନ୍ତି। ବୈଠକରେ ଅତିରିକ୍ତ ସଚିବ ଶୁଭାନନ୍ଦ ମହାପାତ୍ର, ୱାଟକୋ ଏମ୍ ଡି ଦେବବ୍ରତ ମହାନ୍ତି ଓ ଅନ୍ୟ ସମ୍ପୃକ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମୀକ୍ଷା ସମୟରେ, ନଗରଉନ୍ନୟନ ବିଭାଗ ସଚିବ ଭୁବନେଶ୍ୱରରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଜନସଂଖ୍ୟା ଏବଂ ଭବିଷ୍ୟତର ସହରାଞ୍ଚଳ ସମ୍ପ୍ରସାରଣକୁ ଦୃଷ୍ଟିରେ ରଖି ଚାଲୁଥିବା ଏବଂ ପ୍ରସ୍ତାବିତ ସମସ୍ତ ଜଳ ଯୋଗାଣ ପ୍ରକଳ୍ପକୁ ପ୍ରାଥମିକତା ଦେବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ୱାଟକୋକୁ ନିର୍ଦ୍ଦେଶ ଦେଇଛନ୍ତି। ୱାଟକୋର ପରିଚାଳନା ନିର୍ଦ୍ଦେଶକ ବର୍ତ୍ତମାନର ଜଳ ଯୋଗାଣ ସ୍ଥିତି, ଚାହିଦା-ଯୋଗାଣ ବ୍ୟବଧାନ ଏବଂ ଯୋଜନାବଦ୍ଧ ଭିତ୍ତିଭୂମି ବୃଦ୍ଧି ଉପରେ ବିସ୍ତୃତ ଉପସ୍ଥାପନା କରିଥିଲେ। ଯାହା ବିକଶିତ ଓଡ଼ିଶା @୨୦୩୬ ଏବଂ ବିକଶିତ ଭାରତ @୨୦୪୭ ର ଦୃଷ୍ଟିକୋଣ ସହିତ ମେଳ ଖାଉଛି। ପ୍ରକଳ୍ପ କାର୍ଯ୍ୟକାରିତା ସମୟରେ ସମ୍ମୁଖୀନ ହେଉଥିବା କେତେକ ପରିଚାଳନାଗତ ଏବଂ ପ୍ରଶାସନିକ ଆହ୍ୱାନ ଉପରେ ମଧ୍ୟ ସେ ଆଲୋକପାତ କରିଛନ୍ତି।

ଦ୍ରୁତ ସହରୀକରଣ, ଜଳବାୟୁର ପରିବର୍ତ୍ତନ ଏବଂ ଋତୁକାଳୀନ ଅଭାବ ଯୋଗୁଁ ବଢୁଥିବା ଜଳ ସଙ୍କଟକୁ ଦୃଷ୍ଟିରେ ରଖି ପ୍ରମୁଖ ସଚିବ ସମଗ୍ର ଓଡ଼ିଶାର ପୌରସଂସ୍ଥାଗୁଡିକର ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ଗ୍ରୀଷ୍ମ ମାସରେ ତୀବ୍ର ପାନୀୟ ଜଳ ସମସ୍ୟାର ସମ୍ମୁଖୀନ ହେଉଥିବା ସହରାଞ୍ଚଳଗୁଡିକୁ ଚିହ୍ନଟ କରି ପଦକ୍ଷେପ ଗ୍ରହଣକରିବାକୁ କହିଛନ୍ତି । ବିଏମସି ଅଞ୍ଚଳରେ ଜଳ ଚାହିଦା ୩୦୪ ଏମଏଲଡି ଥିବା ବେଳେ ବର୍ତ୍ତମାନର ଯୋଗାଣ କ୍ଷମତା ୨୩୮.୫୦ ଏମଏଲଡି ରହିଛି। ଯାହା ଫଳରେ ଭୂତଳ ଜଳ ବ୍ୟବସ୍ଥା ମାଧ୍ୟମରେ ପରିଚାଳିତ ହେଉଥିବା ୬୫.୫୦ ଏମଏଲଡିର ବ୍ୟବଧାନକୁ ପୂରଣ କରାଯାଉଛି। ବର୍ତ୍ତମାନ ମୁଣ୍ଡୁଳି, ପଳାଶୁଣି, ଚନ୍ଦ୍ରଶେଖରପୁର, ନହରକଣ୍ଟା, ଭୁଆସୁଣିଠାରେ ଥିବା ୬ଟି ଜଳ ବିଶୋଧନ କେନ୍ଦ୍ର ମାଧ୍ୟମରେ ପାଣି ଯୋଗାଣ କରାଯାଉଛି। ମହାନଦୀ, କୁଆଖାଇ ଓ ଦୟା ନଦୀରୁ ପାଣି ଉଠାଉଥିବା ଉଚ୍ଚସ୍ତରୀୟ ଟାଙ୍କି ବ୍ୟବସ୍ଥା ରହିଛି।

ଚାହିଦା-ଯୋଗାଣ ବ୍ୟବଧାନକୁ ଦୂର କରିବା ଏବଂ ଦୀର୍ଘକାଳୀନ ଆବଶ୍ୟକତା ପୂରଣ କରିବା ନିମନ୍ତେ ମୁଣ୍ଡୁଳିରେ ଏକ ୧୩୦ ଏମଏଲଡି ଜଳ ବିଶୋଧନ ପ୍ଲାଣ୍ଟ ଆସନ୍ତା ଛଅ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି। ୨୦୨୮ ସୁଦ୍ଧା ନାହରକଣ୍ଟାରେ ଏକ ୨୦ ଏମଏଲଡି ଜଳ ବିଶୋଧନ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରିବାକୁ ଯୋଜନା କରାଯାଇଛି। ଆଗାମୀ ୫୦ ବର୍ଷ ପାଇଁ ସହରର ଜଳ ଚାହିଦା ପୂରଣ କରିବା ପାଇଁ ମୁଣ୍ଡୁଳିରୁ ମହାନଦୀ ୧୦୦୦ ଏମଏଲଡି ଜଳ ଉଠାଇବା ପାଇଁ ଜଳ ସମ୍ପଦ ବିଭାଗକୁ ଏକ ପ୍ରସ୍ତାବ ଦାଖଲ କରାଯିବ, ଯାହାକୁ ଦୁଇ ପର୍ଯ୍ୟାୟରେ ବିକଶିତ କରାଯିବ। ମୁଣ୍ଡୁଳି ଠାରେ ୧୩୦ ଏମଏଲଡି ବିଶୋଧନଗାର କାର୍ଯ୍ୟକ୍ଷମ ହେବା ପରେ ୱାଟକୋ ଭୁବନେଶ୍ୱର ସହରର ସମସ୍ତ ଆପାର୍ଟମେଣ୍ଟ ଏବଂ ପ୍ରତିଷ୍ଠାନକୁ ଜଳ ଯୋଗାଣ ସୁନିଶ୍ଚିତ କରିବାରେ ସକ୍ଷମ ହେବ। ଯାହା ସେବା ଯୋଗାଣରେ ଉଲ୍ଲେଖନୀୟ ଉନ୍ନତି ଆଣିବ।

Share This Article