ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଏକ ବିଶାଳ ରୋଡ୍ ଶୋ’ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ସ୍ଥାନରେ ଉପସ୍ଥିତ ଜନତା ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀରେ ରୋଡ୍ ଶୋ’ ପାଇଁ ଗୁରୁବାର ସନ୍ଧ୍ୟାରେ ଗଙ୍ଗନଗରଠାରେ ନବୀନଙ୍କ ଗାଡ଼ି ପହଞ୍ଚିଥିଲା। ନବୀନ ଗାଡ଼ି ଉପରକୁ ଉଠି ସେଠାରେ ସମବେତ ହଜାର ହଜାର ଲୋକଙ୍କୁ ଉଦ୍ବୋଧନ ଦେଇଥିଲେ। ରାସ୍ତା ଖଚାଖଚ ଭିଡ଼ ଥିଲା। ପୂରା ଭୁବନେଶ୍ବର ଥିଲା ଆଜି ନବୀନ ମୟ । ହଜାର ହଜାର ଛାତ୍ରଛାତ୍ରୀ, ମହିଳାଙ୍କ ଗହଣରେ ପୂରି ଉଠିଲା ରାଜଧାନୀ ରାଜପଥ । ଗଙ୍ଗନଗର ଛକରୁ ଆରମ୍ଭ ହୋଇଥିବା ମେଗା ରୋଡ ଶୋ’ ଗୋପବନ୍ଧୁ ଛକ, ଡିଏଭି ସ୍କୁଲ ଛକ, ଶ୍ରୀକୃଷ୍ଣ କ୍ଲବ ଛକ, କଳିଙ୍ଗ ଷ୍ଟାଡିୟମ ଛକ, ବାୟାବାବା ମଠ, ସତ୍ଯନଗର, ଶିଶୁଭବନ ଛକ ଦେଇ ଯିବାବେଳେ ରାସ୍ତାର ଉଭୟ ପାର୍ଶ୍ବରେ ସମବେତ ଜନତାଙ୍କ ମଧ୍ଯରେ ଥିଲା ଅପୂର୍ବ ଉତ୍ସାହ । ସୁଖଦୁଃଖର ସାଥୀ ନେତାଙ୍କ ସାନ୍ନିଧ୍ଯ ଲାଭ କରିବା ଲାଗି ସବୁଠି ରହିଥିଲା ଉଦବେଳନ ।
ଏହି ଅବସରରେ ମୁଖ୍ଯମନ୍ତ୍ରୀ କହିଥିଲେ- ଜୁଲାଇ ମାସରୁ ବିଜୁଳି ବିଲ ମାଗଣା ହେବ । ସମସ୍ତଙ୍କ ଲାଗି ବିଏସକେୱାଇ ଲାଗୁ ହେବ । ଏହାସହ ଶଙ୍ଖ ଚିହ୍ନରେ ଭୋଟ ଦେବା ଲାଗି ସେ ଉପସ୍ଥିତ ଜନତାଙ୍କୁ ଦେଇଥିଲେ ଆହ୍ବାନ। ସମସ୍ତ ସ୍ଥାନରେ ହଜାର ହଜାର ଏସଏଚଜି ମହିଳା ବି ମୁଖ୍ଯମନ୍ତ୍ରୀଙ୍କୁ ଜଣାଇଥିଲେ ଶୁଭେଚ୍ଛା । ହାତରେ ବିଜେଡି ପତାକା ଧରି ମେଗା ଶୋ’ରେ ସାମିଲ ହୋଇଥିଲେ ରାଜଧାନୀବାସୀ । ରୋଡ ଶୋ’ରେ ସାମିଲ ହୋଇଥିଲେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ।

Comment