ବାଲୁଗାଁ: ବିଳମ୍ବିତ ରାତିରେ କଳା କନା ବୁଲାଇଲେ ଦୁର୍ବୁତ୍ତ, ଲକ୍ଷାଧିକ ମୂଲ୍ୟର ସୁନା ଅଳଙ୍କାର ଲୁଟ୍

Odisha Hot News
1 Min Read

ବାଲୁଗାଁ: ଶୁକ୍ରବାର ବିଳମ୍ବିତ ରାତିରେ ବାଲୁଗାଁ ଥାନା ଅନ୍ତର୍ଗତ ବେଲପଡା ରୋଡ଼ ନିକଟ ଅବିନାଶ ସେଠୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ୫୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଦୁର୍ବୁତ୍ତ ଲୁଟି ନେଇଯାଇଥିବା ନାଭାଲ ଫାଣ୍ଡିରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ ଗତକାଲି ରାତିରେ ଅବିନାଶ ସେଠୀ ପରିବାର ସମେତ ବାହାରକୁ ନିଜ ସମ୍ପର୍କୀୟଙ୍କ ବିବାହ ଭୋଜିକୁ ଯାଇଥିଲେ। ଭୋଜି ସାରି ସକାଳୁ ଘରକୁ ଫେରି ଦେଖିବା ବେଳକୁ ଗ୍ରୀଲ ତାଲା ଭାଙ୍ଗି କବାଟ ଖୋଲା ଥିବାବେଳେ ଘର ଭିତରୁ ଧୂଆଁ ବାହାରୁଥିଲା। ତୁରନ୍ତ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଘରେ ପଶି ଦେଖିବା ବେଳକୁ ଆସବାବପତ୍ର ତଥା ଖଟ ପଲଙ୍କ ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଶୋଇବା ଘର ଆଲମିରା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ହାର, ଚେନ, ମୁଦି, କାନ ଫୁଲ ସମେତ ନଗଦ ୫୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏଥିସହିତ କାନ୍ଥ ବାଡ଼ରେ ଅଶ୍ଲିଳ ଭାଷାରେ କେହି ଲେଖିଥିବା ଦେଖିଥିଲେ। ଏନେଇ ଶ୍ରୀ ସେଠୀ ଶନିବାର ସକାଳେ ନାଭାଲ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ।

ଖବରପାଇ ଘଟଣା ସ୍ଥଳରେ ନାଭାଲ ଫାଣ୍ଡି ଅଧିକାରୀ ରବୀନ୍ଦ୍ରନାଥ ଗୌଡା ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ତେବେ କେହି ଦୁର୍ବୁତ୍ତ ଚୋରି କରିବା, ଆସବାବପତ୍ରରେ ନିଆଁ ଲଗାଇବା ଓ କାନ୍ଥରେ ଅଶ୍ଲିଳ ଭାଷାରେ ଲେଖିବା ପଛରେ କଣ ରହସ୍ୟ ରହିଛି ତାହା ସମସ୍ତଙ୍କୁ ଚକିତ କରିଥିବାବେଳେ ଦୁର୍ବୁତ୍ତକୁ ଧରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି।

Share This Article