ପ୍ୟାରିସ ଅଲମ୍ପିକ୍ସ ରେ ଭାରତ ହକି ବିଜୟ, କଳିଙ୍ଗ ଷ୍ଟାଡିୟମରେ ଉତ୍ସବ ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Odisha Hot News
3 Min Read

ଭୁବନେଶ୍ବର: ଗତକାଲି ପ୍ୟାରିସ ଅଲମ୍ପିକ୍ସରେ ଭାରତ ପୁରୁଷ ଦଳର ବ୍ରୋଞ୍ ପଦକ ହାସଲ ପରେ ମୁଖ୍ୟମନ୍ତ୍ରୀ ଆଜି କଳିଙ୍ଗ ଷ୍ଟାଡିୟମରେ ହକି କ୍ରୀଡାବିତ୍ ମାନଙ୍କ ସହିତ ଭାରତର ବିଜୟ ଉତ୍ସବ ପାଳିଛନ୍ତି। କ୍ରୀଡା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ଉଚ୍ଚ ପଦାଧିକାରୀ ମାନେ ଏହି ଉତ୍ସବରେ ଯୋଗ ଦେଇଥିଲେ।

ବାଜା ଓ ବାଣ ସହିତ ମୁଖ୍ୟମନ୍ତ୍ରୀଙ୍କ ସହିତ ତାଳ ଦେଇ ଶହ ଶହ ପିଲା ଜୟ ଜଗନ୍ନାଥ ଧ୍ବନିରେ ଷ୍ଟାଡିୟମକୁ ପ୍ରକମ୍ପିତ କରିଥିଲେ। ମୁଖ୍ୟମନ୍ତ୍ରୀ କେକ କାଟି ପିଲା ମାନଙ୍କୁ ଖୋଇ ଦେଇ ଉତ୍ସବ ମନାଇ ଥିଲେ।

ସୂଚନା ଯୋଗ୍ୟ ଯେ ଗତକାଲି ଭାରତୀୟ ଦଳର ବ୍ରୋଞ୍ଜ ବିଜୟ ପରେ ମୁଖ୍ୟମନ୍ତ୍ରୀ ଫୋନ ଯୋଗେ ଖେଳାଳୀ ମାନଙ୍କ ସହିତ କଥା ହୋଇ ଅଭିନନ୍ଦନ ଜଣାଇ ଥିଲେ। ପ୍ରତ୍ୟେକ ଖେଳାଳୀ ମାନଙ୍କ ପାଇଁ ୧୫ ଲକ୍ଷ ଟଙ୍କା ଲେଖାଏଁ ଏବଂ ପ୍ରତ୍ୟେକ ସହାୟକ କର୍ମଚାରୀଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ। ଓଡ଼ିଆ ଖେଳାଳୀ ଅମିତ ରୋହୀଦାସଙ୍କ ପାଇଁ ସ୍ବତନ୍ତ୍ର ଭାବେ ୪ କୋଟି ଟଙ୍କା ପୁରସ୍କାର ଘୋଷଣା କରିଥିଲେ।

ଆଜି ଏହି ବିଜୟ ଉତ୍ସବ ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ” ଆଜିର ଏ କାଂସ୍ୟ ପଦକ, ଦୃଢ଼ନିଷ୍ଠ-ସ୍ବର୍ଣ୍ଣିମ ଭବିଷ୍ୟତର ଶୁଭାରମ୍ଭ ପାଇଁ ଏକ ଆହ୍ୱାନ।”

ସେ ପୁଣି କହିଥିଲେ ଯେ ଗତକାଲି ଆମ ଭାରତୀୟ ପୁରୁଷ ହକି ଦଳ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ରେ ରଚିଲା ଇତିହାସ। ଅଲମ୍ପିକ୍ସ ରେ ଭାରତ ର ଚମତ୍କାର ପ୍ରଦର୍ଶନ ରେ ବିଶ୍ୱବାସୀ ହେଲେ ଅଭିଭୂତ। ସମଗ୍ର ଓଡ଼ିଶା ତରଫ ରୁ ମୁଁ ଭାରତୀୟ ହକି ଦଳ ର ପ୍ରତ୍ୟେକ ଖେଳାଳିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି।

ସେମାନେ ରାଜ୍ୟ ତଥା ଦେଶ କୁ ଗର୍ବିତ କରିଛନ୍ତି ଏବଂ ଲକ୍ଷ ଲକ୍ଷ ଯୁବ କ୍ରୀଡ଼ାବିତ ମାନଙ୍କୁ ପ୍ରେରଣା ଦେଇଛନ୍ତି । ଓଡ଼ିଆ ହକି ତାରକା ଅମିତ ରୋହିଦାସ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ, ଭାରତୀୟ ହକି ରେ ଯାହାଙ୍କ ଅବଦାନ ସମସ୍ତଙ୍କ ପାଇଁ ଏକ ଆଦର୍ଶ ଏବଂ ପ୍ରେରଣା ର ଉତ୍ସ ।

ବିଶ୍ୱମଞ୍ଚ ରେ ଭାରତୀୟ ହକି ଦଳ ର ସଫଳତା ଏବଂ କ୍ରମାଗତ ବିଜୟ ସେମାନଙ୍କ ଦୃଢ଼ ନିଷ୍ଠା ଏବଂ ଅକ୍ଲାନ୍ତ ପରିଶ୍ରମ ର ପ୍ରମାଣ ପ୍ରଦାନ କରିଛି। ଆମ ଭାରତୀୟ ହକି ଦଳ କୁ ସମସ୍ତ ପ୍ରକାର ର ସାହାଯ୍ୟ ସହଯୋଗ ଯୋଗାଇ ଦେବାରେ ଓଡ଼ିଶା ସରକାର ତତ୍ପର ଏବଂ ପ୍ରତିଶ୍ରୁତିବଦ୍ଧ।

ଆମେ ଆମର ଖେଳାଳିମାନଙ୍କ ପାଇଁ ସବୁବେଳେ ଛିଡ଼ା ହେବା ସହ ସେମାନଙ୍କୁ ତୃଣମୂଳସ୍ତରରୁ ବିଶ୍ଵମଞ୍ଚକୁ ଯିବାରେ ସାହାଯ୍ୟ କରିବୁ। ଆମ ସରକାର ଆଗକୁ ଆସି ଏହା ସୁନିଶ୍ଚିତ କରାଇବେ ଯେ ଆମ ରାଜ୍ୟର ଖେଳାଳି ମାନେ ରାଜ୍ୟ ତଥା ଦେଶ ପାଇଁ ଜାତୀୟ ଓ ଆନ୍ତର୍ଜାତିକ ସ୍ତର ରେ ସୁନାମ ଆଣିବେ।

ମୁଁ ଆପଣମାନଙ୍କ ମଧ୍ୟରେ ଦେଖିପାରୁଛି ଜଣେ ଜଣେ ଅମିତ ରୋହିଦାସ, ଦୀପ୍ ଗ୍ରେସ୍ ଏକ୍କା, ଲଜାରୁସ୍ ବାର୍ଲା, ଦିଲ୍ଲୀପ ତିର୍କୀ। ସେଦିନ ଆଉ ଦୂର ନାହିଁ ଯେବେ ଏଇଠି ବସିଥିବା ପିଲାମାନଙ୍କ ମଧ୍ୟରୁ ଜଣେ ଭାରତୀୟ ହକି ଦଳ ର ଅଧିନାୟକ ବା ଅଧିନାୟିକା ହୋଇ ବାହାରିବେ; ବିଶ୍ଵମଞ୍ଚ ରେ ଭାରତ ପାଇଁ ପଦକ ଜିତିବେ ଏବଂ ଚମତ୍କାର ପ୍ରଦର୍ଶନ ବଳରେ ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିବେ।

“ଯେତେ ବାଧାବିଘ୍ନ ଆସୁ ଆମେ ଯଦି ଅଟଳ ରହିବା ତାହେଲେ ବିଜୟ ଆମର ହିଁ ହେବ – ଭାରତୀୟ ହକି ଦଳ ଏହାର ଏକ ଜ୍ୱଳନ୍ତ ଉଦାହରଣ।” ଆଗାମୀ ଭବିଷ୍ୟତ ପାଇଁ ମୁଁ ଆପଣମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । “

Share This Article