ପଞ୍ଚାୟତ ରେଜଲ୍ଟ : କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ବିଜେଡି

Odisha Hot News
2 Min Read

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନରେ ବି ରାଜ୍ୟରେ ‘ନବୀନ’ ଲହର। ଏହି ଲହର ବିଫଳ କରିଛି ବିରୋଧୀଙ୍କ ସବୁ ଷଡ଼ଯନ୍ତ୍ର; ଧ୍ୱଂସ କରିଛି ମିଛ ଅପପ୍ରଚାର, କଳ-କୌଶଳ। ନବୀନଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ, ଜନହିତକର ଯୋଜନା ଓ ସାଧାରଣ ଲୋକଙ୍କୁ ଭଲ ପାଇବାର ସୂତ୍ରରେ ମୋହର ମାରିଛନ୍ତି ରାଜ୍ୟବାସୀ। ଜିଲ୍ଲା ପରିଷଦ ନିର୍ବାଚନରେ ରାଜ୍ୟର ଜନସାଧାରଣ ବିଜେଡି ଉପରେ ଅଜାଡ଼ି ଦେଇଛନ୍ତି ପ୍ରଚଣ୍ଡ ଆଶୀର୍ବାଦ।ପରିଣତିସ୍ୱରୂପ ପଞ୍ଚାୟତ ନିର୍ବାଚନରେ ଏକତରଫା ବିଜୟ ଦିଶାରେ ଅଗ୍ରସର ହୋଇଛି ବିଜେଡି। ସମସ୍ତ ୩୦ଟି ଜିଲ୍ଲାରେ ବିଜେଡି ଏକତରଫା ବିଜୟ ହାସଲ ସହ ଜିଲ୍ଲା ପରିଷଦ ଗଠନ ଲାଗି ସମ୍ଭାବନା ସୃଷ୍ଟି କରିଛି।
ରାଜ୍ୟରେ ଆଜିଠାରୁ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁସାରେ ସମସ୍ତ ରାଜନୈତିକ ଦଳଠାରୁ ଆଗରେ ରହିଛି ବିଜୁ ଜନତା ଦଳ । ଆଜି ୩୧୫ ଜୋନରେ ଭୋଟ ଗଣତି ହେଉଛି । ତେବେ ତାଜା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ସମସ୍ତ ୩୧୫ ଜିଲ୍ଲା ପରିଷଦ ଆସନର ପ୍ରାରମ୍ଭିକ ଟ୍ରେଣ୍ଡ ଆସିଯାଇଛି । ସମସ୍ତ ୩୧୫ ଜିଲ୍ଲା ପରିଷଦ ଜୋନର ପ୍ରାରମ୍ଭିକ ଟ୍ରେଣ୍ଡ ରାଜ୍ୟ ନିର୍ବାଚନ ଆୟୋଗଙ୍କ ହସ୍ତଗତ ହୋଇଛି । ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇଥିବା ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିରୋଧୀଙ୍କୁ ପଛରେ ପକାଇ ଏକ ପାଖିଆ ବିଜୟ ହାସଲ କରିବାକୁ ଯାଇଛି ବିଜୁ ଜନତା ଦଳ ।
ପୂର୍ବର ସମସ୍ତ ନିର୍ବାଚନର ଭୋଟହାରଠାରୁ ଚଳିତ ପଞ୍ଚାୟତ ନିର୍ବାଚନରେ କେବଳ ଅଧିକ ନୁହେଁ; ୨୦୧୭ ନୁହେଁ, ୨୦୧୨ ନିର୍ବାଚନ ଫଳଠାରୁ ବି ଯଥେଷ୍ଟ ଅଧିକ ଆସନ ପାଇବ ବୋଲି ଆକଳନ କରାଯାଉଛି। ନବୀନଙ୍କ ପ୍ରତି ରାଜ୍ୟବାସୀଙ୍କ ବିଶ୍ୱାସ ଓ ଆସ୍ଥା ବିଜୁ ଜନତା ଦଳକୁ ବିପୁଳ ସଫଳତା ଦେଇଛି। ଅନ୍ୟପକ୍ଷରେ ବିରୋଧୀ ବିଜେପି ଓ କଂଗ୍ରେସ ଚଳିତ ନିର୍ବାଚନରେ ରାଜ୍ୟବାସୀଙ୍କ ଆସ୍ଥାଭାଜନ ହେବାରେ ସଫଳ ହୋଇପାରି ନାହାନ୍ତି। ଗତ ପଞ୍ଚାୟତ ନିର୍ବାଚନ ତୁଳନାରେ ବିଜେପି ପ୍ରଦର୍ଶନ ଅତ୍ୟନ୍ତ ନକରାତ୍ମକ ରହିଛି ଏବଂ କଂଗ୍ରେସ ପ୍ରଦର୍ଶନ ସର୍ବକାଳୀନ ନିମ୍ନସ୍ତରରେ ପହଞ୍ଚିବାର ସମ୍ଭାବନା ରହିଛି।
Share on: WhatsApp

Share This Article