ଦୁର୍ଘଟଣାର ଶିକାର ହେଲେ ଇ-କେ୍ୱାସୀ ପାଇଁ ଯାଉଥିବା ଦମ୍ପତି: ସ୍ଵାମୀ ଆହତ, ସ୍ତ୍ରୀ ମୃତ

Odisha Hot News
1 Min Read

ରଣପୁର: ଖାଉଟି ସାମଗ୍ରୀରେ ସ୍ୱଚ୍ଛତା ଆଣିବା ପାଇଁ ସରକାର ଏବେ ସମସ୍ତ ଉପଭୋକ୍ତାଙ୍କୁ କଣ୍ଟ୍ରୋଲ ଦୋକାନ ଓ ପଞ୍ଚାୟତରେ ପରିବାରର ସମସ୍ତେ ଇ-କେ୍ୱାସୀ କରିବାକୁ ବାଧ୍ୟ କରାଯାଇଛି। ଏହି ଇ-କେ୍ୱାସୀ କରିବାକୁ ଯାଇ ଜଣେ ମହିଳାଙ୍କର ଆଜି ଜୀବନ ଚାଲି ଯାଇଥିବା ଜଣାଯାଇଛି।

ଖବର ସଂଗ୍ରହ କରିବାରେ ଜଣା ଯାଏ ଯେ, ରଣପୁର ବ୍ଲକ ହଂସରା ପଂଚାୟତ ଅନ୍ତର୍ଗତ ଆନନ୍ଦପୁର ଗ୍ରାମର ପବିତ୍ର କୁମାର ବେହେରା ତାଙ୍କ ଧର୍ମପତ୍ନୀ କୁମାରୀ ବେହେରାଙ୍କୁ ଏକ ବାଇକରେ ବସାଇ ଆଜି ଇ-କେ୍ୱାସୀ କରିବା ପାଇଁ ନିକଟସ୍ଥ ନରସିଂହପୁର ପଂଚାୟତ କାର୍ଯ୍ୟାଳୟକୁ ଯାଉଥିଲେ। କିଛି ବାଟ ଗଲା ପରେ ଏକ ମାଙ୍କଡ଼ ବାଇକ ଉପରକୁ ହଠାତ ଡେଇଁ ପଡିଥିଲା। ଫଳରେ ଭାରସାମ୍ୟ ହରାଇ ବାଇକରୁ ଉଭୟେ ଖସି ପଡ଼ିଥିଲେ। ଉଭୟ ଆହତ ହୋଇଥିଲା ବେଳେ ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ତେଣୁ ପ୍ରଥମେ ରଣପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଭୁବନେଶ୍ୱର ନେବା ବେଳେ ବାଟରେ ମହିଳାଙ୍କ ମୃତ୍ୟୁ ହୋଇ ଯାଇଥିବା ଜଣାପଡିଛି। ଏଥିରେ ତାଙ୍କ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।

Share This Article