ଟିକେଟ କଟିବା ପରେ ନୀରବି ଗଲେ ଯାଜପୁର ଜିଲ୍ଲାର ତିନି ବିଧାୟକ, ପ୍ରଚାରରେ ମିଳୁନି ଦେଖା

Odisha Hot News
2 Min Read

ଭୁବନେଶ୍ବର: ଯାଜପୁର ଜିଲ୍ଲାରେ ରାଜନୀତି ଧିରେ ଧିରେ ଘନେଇ ଆସୁଥିବା ବେଳେ ହଠାତ ସେଥିରେ ଦେଖାଦେଇଛି ନିରୁତ୍ସାହ। କାରଣ ହେଲା ସେହି ଜିଲ୍ଲାର ତିନି ବିଧାୟକଙ୍କ ଟିକେଟ କଟିବା ପରେ ସେମାନେ ଏକ ପ୍ରକାର ନୀରବି ଯାଇଛନ୍ତି। ନା ପୂର୍ବପରି ସକ୍ରିୟ ହେଉଛନ୍ତି ନା ଦଳିୟ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି।

କୋରେଇରେ ପ୍ରଣବ ପ୍ରକାଶ ଦାସଙ୍କ ମାଆ ସଂଧ୍ୟାରାଣୀ ଦାସ ପ୍ରାର୍ଥୀ ହେବା ପରେ ସେଠାକାର ରାଜନୀତି ସରଗରମ ହୋଇଛି। ହେଲେ ସେଠାକାର ବିଧାୟକ ଅଶୋକ ବଳଙ୍କ ଟିକେଟ କଟିବା ପରେ ସେ ଏକ ପ୍ରକାର ରାଜନୀତିରୁ ଦୂରେଇ ଯାଉଥିବାର ପରିଲକ୍ଷିତ ହୋଇଛି। ସଂଧ୍ୟାରାଣୀ ଦାସ ନାମାଙ୍କନ ଦାଖଲ ବେଳେ ବବି ଦାସ ଯାଜପୁର ଆସିଥିଲେ। ସେତେବେଳେ ଅଶୋକ ବଳଙ୍କ ଦେଖା ମିଳିଥିଲା। ହେଲେ ତା ପରଠାରୁ ସେ ପ୍ରାର୍ଥୀଙ୍କ ସହିତ ବୁଲିବା ଆଉ କେହି ଦେଖି ନାହାଁନ୍ତି।

ସେହିପରି ବଡଚଣାରେ ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ଅମର ଶତପଥୀଙ୍କ ଟିକେଟ କଟିବା ପରେ ସେ ଭୁବନେଶ୍ବରରେ ରହୁଛନ୍ତି। ସେଠାରେ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିବା ପରେ ଅମର ଅସନ୍ତୁଷ୍ଠ ହୋଇଛନ୍ତି। ଉପରେ ମନରେ ସେ ଦଳ ପାଇଁ କାମ କରିବେ ବୋଲି କହୁଥିଲେ ମଧ୍ୟ ଭିତରେ ଭିତରେ ତାଙ୍କର ଆଗ୍ରହ ନାହିଁ। ବଡଚଣା ପ୍ରଚାରରେ ତାହା ସ୍ପଷ୍ଟ ଭାବେ ଜଣାପଡିଛି।

ବଡଚଣାରୁ ଛଅ ଥର ବିଧାୟକ ହୋଇଥିବା ଅମର ଶତପଥୀଙ୍କୁ ଦଳ ଟିକେଟ କାଟିବା ପରେ ଉପସଭାପତି ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଛି। ହେଲେ ସେଥିରେ ସେ କୁଆଡେ ସନ୍ତୁଷ୍ଠ ନୁହଁନ୍ତି ବୋଲି ସ୍ପଷ୍ଟ ହୋଇଛି। ଅନ୍ୟପଟେ ତାଙ୍କ ସମର୍ଥକମାନେ ମଧ୍ୟ କିଏ କେମିତ ସାହାଯ୍ୟ କରିବାକୁ ଆସୁଛନ୍ତି। ହେଲେ ସେମାନଙ୍କ ମନ ମଧ୍ୟ ବର୍ଷାଙ୍କ ପାଖରେ ନାହିଁ।

ସେହିପରି ଯାଜପୁରର ବରୀ ନିର୍ବାଚନ ମଣ୍ଡଳୀରେ ବିଧାୟିକା ସୁନନ୍ଦା ଦାସଙ୍କ ଟିକେଟ କାଟି ଦଳ ସେଠାରୁ ବିଶ୍ବରଞ୍ଜନ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି। ଫଳରେ ସୁନନ୍ଦା ମଧ୍ୟ ଅସନ୍ତୁଷ୍ଠ ହେବା ସ୍ବାଭାବିକ। ଟିକେଟ କଟିବା ପରେ ତାଙ୍କ ସ୍ବାମୀ ଦେବେନ୍ଦ୍ର ଦାସଙ୍କୁ ବିଜେଡି ସାଧାରଣ ସଂପାଦକ ଭାବେ ନିଯୁକ୍ତି ପ୍ରଦାନ କରିଛି। ହେଲେ ସେଥିରେ ମଧ୍ୟ ସେ ସନ୍ତୁଷ୍ଠ ନାହାଁନ୍ତି। ଫଳରେ ସୁନନ୍ଦା ମଧ୍ୟ ଏ ପର୍ଯ୍ୟନ୍ତ ମଇଦାନକୁ ଓହ୍ଲାଉ ନାହାଁନ୍ତି। ତେବେ ବିଜେଡି ଏହି ଖବର ଜାଣିବା ପରେ ମାନଭଂଜନ ପାଇଁ ପୁଣି ପ୍ରଚେଷ୍ଠା ଆରମ୍ଭ କରିଥିବାର ଜଣାପଡିଛି।

Share This Article