ଓମ୍ଫେଡ୍ କାର୍ଯ୍ୟ ସମୀକ୍ଷା କଲେ ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ

Odisha Hot News
2 Min Read

ଭୁବନେଶ୍ୱର: ଓମ୍ଫେଡ୍ କାର୍ଯ୍ୟର ସମୀକ୍ଷା କଲେ ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ। ସଚିବାଳୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଓମ୍ଫେଡର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ଦୁଗ୍ଧ ସଂଗ୍ରହ, ପ୍ରକ୍ରିୟାକରଣ, ଉତ୍ପାଦନ, ବିକ୍ରି, ବିଭିନ୍ନ ସମସ୍ୟା ଓ ତାର ସମାଧାନ ଆଦି ସଂପର୍କରେ ପ୍ରମୁଖ ଶାସନ ସଚିବଙ୍କୁ ଅବଗତ କରାଇଥିଲେ। ଏହି ସମୀକ୍ଷା ବୈଠକରେ ଓମ୍ଫେଡ୍ ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ବୁଧବାର ମଧ୍ୟାହ୍ନରେ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଓମ୍ଫେଡ୍ କାର୍ଯ୍ୟର ସମୀକ୍ଷା କରିଥିଲେ। ଓମ୍ଫେଡର ଦୁଗ୍ଘ ସଂଗ୍ରହ, ବିକ୍ରୟ, ପ୍ରକ୍ରିୟାକରଣ, ନୂତନ ପ୍ରକଳ୍ପ, ସଂପ୍ରସାରଣ ଆଦି ସଂପର୍କରେ ନିଆଯାଇଥିବା ପଦକ୍ଷେପ ବିଷୟରେ ଓମ୍ଫେଡ୍ ପରିଚାଳନା ନିର୍ଦେଶକ  ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ପୁଙ୍ଖାନୁପୁଙ୍ଖ ଭାବେ ପ୍ରମୁଖ ଶାସନ ସଚିବଙ୍କୁ ଅବଗତ କରାଇଥିଲେ। ଆଗାମୀ ଦିନରେ ଆଉ କଣ କଣ କରିବାକୁ ଯୋଜନା ରହିଛି, ସେ ସଂପରର୍କରେ ମଧ୍ୟ ପ୍ରମୁଖ ଶାସନ ସଚିବଙ୍କ ନିକଟରେ ସେ ପ୍ରସ୍ତାବମାନ ଉପସ୍ଥାପନ କରିଥିଲେ। ଏଥିରେ ପ୍ରମୁଖ ଶାସନ ସଚିବ ଖୁସି ପ୍ରକଟ କରିବା ସହ କେତେକ କ୍ଷେତ୍ରରେ ସାମାନ୍ୟ ପରିବର୍ତ୍ତନ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି। ଗ୍ରାମ ପଞ୍ଚାୟତ ସ୍ତରରେ ଖୋଲିବାକୁ ଥିବା କ୍ଷୀରଧାରା କେନ୍ଦ୍ର ଏବଂ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ସଂପର୍କରେ ମଧ୍ୟ ପ୍ରମୁଖ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସେହିପରି ଆଜି ପୂର୍ବାହ୍ନରେ ଓମ୍ଫେଡ୍ ପରିଚାଳନା ନିର୍ଦେଶକ ସହିଦ ନଗରସ୍ଥିତ ମୁଖ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଥିଲେ। ଓମ୍ଫେଡକୁ ଆଗକୁ ନେବା ପାଇଁ କି କି ପଦକ୍ଷେପ ନିଆଯାଇପାରିବ, ସେ ସଂପର୍କରେ ସମସ୍ତଙ୍କର ମତାମତ ଲୋଡିବା ସହ ଓମ୍ଫେଡ୍ ଉତ୍ପାଦର ବିକ୍ରି ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ଓମ୍ଫେଡର ପ୍ରଚାର ପ୍ରସାର କରିବା ସହ ରାଜ୍ୟର ବିଭିନ୍ନ ଅଂଚଳରେ ଓମ୍ଫେଡ୍ ପାର୍ଲର, ବୁଥ୍ ଆଦି ଖୋଲିବା ପାଇଁ ପଦକ୍ଷେପ ନିଆଯିବ। ଓମ୍ଫେଡକୁ ଆଗକୁ ନେବାକୁ ହେଲେ କର୍ମଚାରୀମାନେ ନିଜର ଦକ୍ଷତା ବୃଦ୍ଧି କରିବା ସହ ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ପ୍ରତ୍ୟେକ ବିଜ୍ଞାପିତ ଅଂଚଳ, ପୌରପରିଷଦ ଓ ମହାନଗର ନିଗମଗୁଡିକ ଉପରେ ଅଧିକ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ପରିଚାଳନା ନିର୍ଦେଶକ।

ଏଣିକି ମାର୍କେଟିଂ, ଡିଷ୍ଟ୍ରିବ୍ୟୁଟର, ଷ୍ଟଲ ଓ ବୁଥ୍ ପରିଚାଳକମାନଙ୍କୁ ସଶକ୍ତ କରାଇବା ସହ ସେମାନଙ୍କୁ ଟାର୍ଗେଟ ଦେବାକୁ ସେ ନିର୍ଦଶ ଦେଇଛନ୍ତି। ଏଥିରେ ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀଙ୍କ ଭାଗ୍ୟ ଓ ଭବିଷ୍ୟତ ଜଡିତ ଥିବାରୁ ସମସ୍ତ କର୍ମଚାରୀ ନିରଳସ ଭାବେ କାମ କରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।

Share This Article