ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଜମି ପଟ୍ଟା ପ୍ରଦାନ କଲେ ମନ୍ତ୍ରୀ ସୁଦାମ ମାର୍ଣ୍ଡି

Odisha Hot News
2 Min Read

ବାରିପଦା: ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟର ଜମି ପଟ୍ଟା ବଣ୍ଟନ ସମ୍ଭନ୍ଧୀୟ ଏକ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ଅଫିସରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ଯୋଗଦେଇ ପ୍ରଥମେ ସମସ୍ତଙ୍କୁ ଶାରଦୀୟ ଅଭିନନ୍ଦନ ଜଣାଇ ଥିଲେ।

ଏହାପରେ ମନ୍ତ୍ରୀ କିଛି ମୁଖ୍ୟ ବିଷୟ ଉପରେ ସମୀକ୍ଷା କରିଥିଲେ। ଏଥି ମଧ୍ୟରୁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ବେନିୟମ ଭାବେ ସରକାରୀ ଜମି ଦଖଲକାରୀଙ୍କୁ ଚିହ୍ନଟ କରି ଉକ୍ତ ଜମିଗୁଡିକ କିପରି ପୁଣି ସରକାରଙ୍କ ନିକଟକୁ ଫେରାଇ ଅଣାଯାଇପାରିବ ସେ ସମ୍ଭନ୍ଧରେ ପଦକ୍ଷେପ ଗ୍ରହଣ, ଜିଲ୍ଲାରେ ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀର ସ୍ଥିତି ଓ ନୂତନ ଆଶ୍ରୟସ୍ଥଳୀ ନିର୍ମାଣ ନେଇ ପ୍ରସ୍ତାବ, ସରକାରୀ ଚାକିରିରେ କାର୍ଯ୍ୟରତ ଥିବା ସମୟରେ ମୃତୁ୍ୟ ବରଣ କରିଥିବା କର୍ମଚାରୀଙ୍କ ପରିବାର ବର୍ଗ ଜଣେ ସଦସ୍ୟଙ୍କୁ ପୁନଃଥଇଥାନ ଯୋଜନାରେ ଚାକିରି ପ୍ରଦାନ ଓ ଲଘୁ ଖଣିଜାତ ଦ୍ରବ୍ୟ ଯଥା ବାଲି, ମୋରମ ଇତ୍ୟାଦିର ସ୍ଥିତି ଉପରେ ସମୀକ୍ଷା କରି ମାନ୍ୟବର ମନ୍ତ୍ରୀ ଏହା ଉପରେ ଯଥାଯଥ ପଦକ୍ଷେପ ନେବା ପାଇଁ ପରାମର୍ଶ
ଦେଇଥିଲେ।

ଏହା ପରେ ମନ୍ତ୍ରୀ ଜିଲ୍ଲାପାଳଙ୍କ ସହିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମୁକ୍ତିକାନ୍ତ ପଣ୍ଡାଙ୍କୁ କଲେଜ ନାମରେ ରେକର୍ଡ ହୋଇଥିବା ୫୩.୫୯୫ ଏକର ପରିମାଣର ଜମି ପଟ୍ଟା ପ୍ରଦାନ କରିଥିଲେ। ଏହି ଅବସରରେ ମନ୍ତ୍ରୀ ତାଙ୍କ ବକ୍ତବ୍ୟ ରଖି କହିଥିଲେ ଯେ ଆଜି ଆମ ପାଇଁ ଏକ ଆନନ୍ଦର ଦିବସ।

କାରଣ ଜିଲ୍ଲାର ସର୍ବପୁରାତନ ଏମ୍‌.ପି.ସି କଲେଜ ଏହାର ୭୫ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଥିବା ଅ୍ୟବହିତ ପୂର୍ବରୁ ଏହି ପଟ୍ଟା ପ୍ରଦାନ କରାଗଲା ଏବଂ ଏହି ଜମି ପଟ୍ଟା ପ୍ରଦାନ ପ୍ରକ୍ରିୟା ଆରମ୍ଭ ମାତ୍ର ଭବିଷ୍ୟତରେ ଏହି ପ୍ରକ୍ରିୟା ଜାରିରଖା ଯାଇ କଲେଜକୁ କିପରି ଆଉ ଅଧିକ ଜମି ହସ୍ତାନ୍ତର କରାଯିବ ପଦକ୍ଷେପ ନିଆଯିବ।

ଏହି ଜମି ପଟ୍ଟା ବଣ୍ଟନ କାର୍ଯ୍ୟକୁ କଲେଜ ଅଧ୍ୟକ୍ଷ, ଏମ୍‌.ପି.ସି କଲେଜର ପ୍ରେସିଡେଣ୍ଟ ଡ଼. ବିଜୟ ଅଗ୍ରୱାଲଙ୍କ ସମେତ କଲେଜର ଅଧ୍ୟାପକ ଅଧ୍ୟାପିକା ତଥା ଉପସ୍ଥିତ ସମସ୍ତେ ସ୍ୱାଗତ କରିଥିଲେ। ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ, ରାଇରଙ୍ଗପୁର ଶ୍ରୀ ଦୌଲତ ଚନ୍ଦ୍ରକାର ଯୋଗ ଦେଇଥିବାବେଳେ ବାରିପଦା ଉପଜିଲ୍ଲାପାଳ ଶ୍ରୀ  ଈଶ୍ୱର ଚନ୍ଦ୍ର ନାଏକ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Share This Article