ଆଉ ୪ ଦିନ ମାଁ ବୁଢ଼ୀ ଠାକୁରାଣୀଙ୍କର ଯାତ୍ରା

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ଏପ୍ରିଲ ୩ ତାରିଖ ମଧ୍ୟ ରାତ୍ରୀରେ ମାଁ ବୁଢ଼ୀ ଠାକୁରାଣୀ ଶାଶୁ ଘରୁ ମାଁ ଘର ଦେଶୀ ବେହେରା ସାହିକୁ ଆସି ଆଜକୁ ୨୩ ଦିନ ହେଲା ଉକ୍ତ ସାହି ସ୍ଥିତ ଅସ୍ଥାୟୀ ମଣ୍ଡପରେ ପୁଜା ପାଉଛନ୍ତି। ପ୍ରତ୍ୟହ ସନ୍ଧ୍ୟାରେ ବିଭିନ୍ନ ସାହି ପରିକ୍ରମା କରି ବିଭିନ୍ନ ସାହିର ରଥ ଓ କଳାକୁଞ୍ଜକୁ ନିମନ୍ତ୍ରଣ କରିବା ସହ ଶ୍ରଦ୍ଧାଳୁମାନେ ମାଁ କୁ ପାଦ ଧୋଇ ପଣା ଓ ଭୋଗ ପ୍ରସାଦ ଇତ୍ୟାଦିରେ ଆପ୍ୟାୟିତ କରିଥାଆନ୍ତି। ପରବର୍ତ୍ତୀ ସମୟରେ ମାଁ ଙ୍କ ଘଟ ପରିକ୍ରମା କାର୍ଯ୍ୟକ୍ରମରେ ବିଭିନ୍ନ ସାହି ରେ ଅନୁଷ୍ଠିତ ରଥ ଓ କଳାକୁଞକୁ ଉଦଘାଟନ କରିବା ସମୟରେ ସାରା ଯାତ୍ରା ଅଞ୍ଚଳରେ ଅସମ୍ଭବ ଭିଡ ପରିଲକ୍ଷିତ ହେଉଛି।

ଏତଦବ୍ୟତୀତ ବିଭିନ୍ନ ସାହିର ଶ୍ରଦ୍ଧାଳୁ ଭକ୍ତମାନେ ଯାତ୍ରୀ ମାନଙ୍କୁ ବିଭିନ୍ନ ପ୍ରସାଦ ତଥା ହାଲୁଆ, ଖେଚୁଡ଼ି, ମିଠା ଓ ଅନ୍ନପ୍ରସାଦ ପରଷିବା ସହ ବିଭିନ୍ନ ସେବା ପ୍ରଦାନ କରୁଛନ୍ତି। ମାଁ ଙ୍କ ଯାତ୍ରା ଉପଲକ୍ଷେ ବିଭିନ୍ନ ମାନସିକଧାରୀ ବେଶ ପୋଷାକରେ ମାଁ ଦର୍ଶନ କରି କୃପାଲାଭ କରୁଛନ୍ତି। ବିଶେଷ କରି ବାଘ ବେଶ ଓ ଡାହାଣୀ ବେଶ୍ ମନଛୁଆଁ ହୋଇପାରିଛି। ସରକାରୀ ପ୍ରଶାସନ ର ପଦକ୍ଷେପ ସ୍ୱରୂପ ଅଗ୍ନିଶମ ବିଭାଗ, ସ୍କାଉଟ୍ ଓ ଗାଇଡ୍ ସଂସ୍ଥା ପୋଲିସ ପ୍ରଶାସନର ସେବା ବହୁତ ସୁନ୍ଦର ପରିଲକ୍ଷିତ ହେଉଛି। ବହୁ ପୁରାତନ ଲଣ୍ଡା ବେଶ ଓ ଦଳୁଆ ସାହିର ଗୁରୁ ନାନକ ବେଶ ଆଜି ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି।

Share This Article