ନିଜ ଆଶାୟୀଙ୍କୁ ବିଜେଡି ବିଜେପିର ଗୁପ୍ତ ସୂଚନା, କେଉଁଆଡେ ଯାଅ ନାହିଁ, ସ୍ବାଧୀନରୁ ଲଢିବ

Odisha Hot News
2 Min Read

ଭୁବନେଶ୍ବର: ବର୍ତ୍ତମାନ 2024 ନିର୍ବାଚନରେ ବିଜେଡି ବିଜେପି ମଧ୍ୟରେ ମେଣ୍ଟ ହେବା ନିଶ୍ଚିତ। କାରଣ ତାହା ଶୀର୍ଷ ନେତୃତ୍ବଙ୍କର ଆବଶ୍ୟକତା ରହିଛି। ବର୍ତ୍ତମାନ କେବଳ ଆସନ ବୁଝାମଣାକୁ ଅପେକ୍ଷା। ହେଲେ ଏହାକୁ ନେଇ ତୃଣମୂଳ ସ୍ତରରେ ଉଭୟ ଦଳର ନେତା ଓ କର୍ମି ତୀବ୍ର ଅସନ୍ତୁଷ୍ଠ ହେବାରେ ଲାଗିଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ସେମାନଙ୍କୁ ନିୟନ୍ତ୍ରଣ କରିବା ମଧ୍ୟ କାଠିକର ପାଠ ହୋଇପଡିଛି।

ତେବେ ଏକ ବିଶେଷ ସୁତ୍ରରୁ ପ୍ରକାଶ ଯେ, ଉଭୟ ଦଳ ନିଜ ନେତାଙ୍କୁ ସନ୍ତୁଷ୍ଠ କରିବା ପାଇଁ ଏକ ନିର୍ଭରଯୋଗ୍ୟ ପ୍ରତିଶୃତି ଦେଇଛନ୍ତି। ତାହା ହେଲା ଯ, ତୁମେ ବ୍ୟସ୍ତ ହୁଅ ନାହିଁ ଏଥର ଆମେ ନିର୍ବାଚନ ଲଢିବା। ଯଦି ଦଳରୁ ଲଢେଇ କରିବାକୁ ସୁଯୋଗ ମିଳିଲା ଭଲ କଥା। ଯଦି ଦଳ ହାତରୁ ସେହି ଆସନଟି ଚାଲିଗଲା ତେବେ ତୁମେ ସ୍ବାଧୀନରୁ ଛିଡା ହେବ। ଯାହା ଖର୍ଚ୍ଚ ହେବ ତାହା ଦଳ ଦେବ। ଏପରି ସୂଚନା ବର୍ତ୍ତମାନ ଉଭୟ ଦଳ ନିଜ ନିଜ ନେତାଙ୍କୁ ଦେଇ ସାରିଲେଣି।

ଏପରି କରିବାର ଏକ ବଡ କାରଣ ମଧ୍ୟ ରହିଛି। ମେଣ୍ଟ ହେଲେ ଉଭୟ ବିଜେଡି ଓ ବିଜେପିର ସଂଗଠନ ଉପରେ ପ୍ରବଳ ମାଡ ହେବ। ଯେଉଁ ଆସନଟି ବିଜେଡି ହାତକୁ ଯିବ ସେଠାରେ ବିଜେପି ସଂଗଠନ ଉପରେ ବଡ ବିପର୍ଯ୍ୟୟ ଘଟିବ। ସେହିପରି ଯେଉଁ ଆସନ ବିଜେପି ହାତକୁ ଯିବ ସେଠାରେ ବିଜେଡି ସଂଗଠନ ଭୁଷୁଡି ପଡିବ। କାରଣ ସେଠାରେ ସେମାନଙ୍କ କର୍ମିଙ୍କୁ ଆଗକୁ ନେବା ପାଇଁ କେହି ନେତା ରହିବେ ନାହିଁ।

ଏସବୁ କଥା ଚିନ୍ତା କରି ଉଭୟ ଦଳ ବର୍ତ୍ତମାନ ଖୋଲମ ଖୋଲା ସ୍ବାଧୀନ ପ୍ରାର୍ଥୀକୁ ଛିଡା କରିବେ ବୋଲି ନିଷ୍ପତି ଗ୍ରହଣ କରିଛନ୍ତି। ସେମାନଙ୍କୁ ଆର୍ଥିକ ସହାୟତା ସହିତ ମନୋବଳ ବଢାଇବା ପାଇଁ ସମସ୍ତ ସହଯୋଗ ସେମାନଙ୍କ ଦଳ ପ୍ରଦାନ କରିବ।

ସେମାନଙ୍କୁ ଏହା ମଧ୍ୟ କୁହାଯାଇଛି ଯେ, ତୁମେ ନାମାଙ୍କନ ଦାଖଲ କରିବା ପରେ ତୁମକୁ ଦଳରୁ ନିଲମ୍ବନ କିମ୍ବା ବହିସ୍କାର କରାଯିବ। ହେଲେ ସେଥିରେ ଦୁଃଖ କରିବ ନାହିଁ। ତମ ସହିତ ଦଳର ଯେଉଁ ଟାଣୁଆ ନେତା ରହିବେ ସେମାନଙ୍କୁ ମଧ୍ୟ ନିଲମ୍ବନ କରାଯିବ। ସେଥିରେ ମଧ୍ୟ ଦୁଃଖ ପ୍ରକାଶ କରିବ ନାହିଁ କି ଧର୍ଯ୍ୟହରା ହେବ ନାହିଁ। ତାପରେ ତୁମେ ଜିତ କି ହାର  ପୁଣି ଥରେ ତୁମକୁ ଦଳ ଗ୍ରହଣ କରିବ।

ଏହିପରି ଗୁପ୍ତ ସୂଚନା ବର୍ତ୍ତମାନ ଦଳିୟ ନେତାଙ୍କୁ ସାଲାଇନ ପରି କାମ ଦେଇଛି। ହେଲେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ଯେଉଁ ମେଣ୍ଟ ନେଇ ବର୍ତ୍ତମାନ ବଳକଷାକଷି ଚାଲିଛି ତାହା ଯେ ଏକ ଫାର୍ସରେ ପରିଣତ ହେବ ସ୍ପଷ୍ଟ ହେଲାଣି। ଉଭୟ ବିଜେଡି ବିଜେପି ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ 147 ଆସନରେ ଲଢେଇ କରିବେ ବୋଲି ସ୍ପଷ୍ଟ ହୋଇଛି।

Share This Article