ଚିଲିକା ପକ୍ଷୀ ଗଣନା ତାଲିମ ଶିବିରରେ ଯୋଗ ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

Odisha Hot News
2 Min Read

ବାଲୁଗାଁ: ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ତତ୍ବାବଧାନରେ ଆସନ୍ତାକାଲି ପକ୍ଷୀ ଗଣନା କରାଯିବ। ଏନେଇ ଆଜି ପୂର୍ବାହ୍ନରେ ଚନ୍ଦ୍ରାପୁଟ ସ୍ଥିତ ଆର୍ଦ୍ରଭୂମି ଅନୁସନ୍ଧାନ ଏବଂ ତାଲିମ କେନ୍ଦ୍ରରେ ପକ୍ଷୀ ଗଣନାକାରୀଙ୍କୁ ତାଲିମ ଦିଆଯାଇଛି। ଏହି ତାଲିମ ଶିବିରକୁ ଜଙ୍ଗଲ,ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ପ୍ରକୃତିମୟୀ ଚିଲିକାର ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନଲୋଭା। ତାସହିତ ପ୍ରତିବର୍ଷ ଶୀତ ଋତୁରେ ବହୁ ବିଦେଶାଗତ ପକ୍ଷୀଙ୍କ ଆଗମନ ଚିଲିକାକୁ ଆହୁରି ଆକର୍ଷିତ କରିଥାଏ। ଯାହାଫଳରେ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଉଛି।ପର୍ଯ୍ୟଟନ ସ୍ଥଳୀ ଚିଲିକାକୁ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ଏବଂ ଏହାର ବିକାଶ ଦିଗରେ ଗୁରୁତ୍ୱ ଦେବାସହ ସ୍ଥାନୀୟ ଲୋକଙ୍କୁ ରୋଜଗାରକ୍ଷମ କରିବା ଆମର ଲକ୍ଷ ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି। ଏଥିସହିତ ଚିଲିକାକୁ ପ୍ରଦୂଷଣ ମୁକ୍ତ କରିବାକୁ ସମସ୍ତଙ୍କ ପ୍ରୟାସ ନିହାତି ଆବଶ୍ୟକ ବୋଲି କହିଛନ୍ତି। ପକ୍ଷୀ ବିଶାରଦ ମାନେ ପକ୍ଷୀ ଗଣନାକାରୀଙ୍କୁ ତାଲିମ ଦେଇଛନ୍ତି।

ଉକ୍ତ ଶିବିରରେ ବମ୍ବେ ନାଚୁରାଲ ହିଷ୍ଟ୍ରି ଅଫ ସୋସାଇଟି,ଓଡିଶା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ,ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟି ଛାତ୍ରଛାତ୍ରୀ, ପକ୍ଷୀ ବିଶେଷଜ୍ଞ, ପକ୍ଷୀ ସୁରକ୍ଷା ସମିତି ସଦସ୍ୟଙ୍କ ସମେତ ୧୩୦ ଜଣ ଅଂଶ ଗ୍ରହଣ କରିଥିଲେ। ସକାଳ ୬ ରୁ ମଧ୍ୟାହ୍ନ ୧୨ ଘଟିକା ଯାଏଁ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ୨୧ ଗୋଟି ଟିମ ପକ୍ଷୀ ଗଣନାରେ ନିୟୋଜିତ ରହିବେ ଏବଂ ପ୍ରତି ଟିମରେ ୬ ରୁ ୭ ଜଣ ଗଣନାକାରୀ ଯୋଗଦେବେ। ପ୍ରତି ଟିମରେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଜଣେ କର୍ମଚାରୀ ଗାଇଡ଼ କରିବାସହ ଗଣନା ପାଇଁ ଆବଶ୍ୟକ ମାନଚିତ୍ର, ଗନ୍ତବ୍ୟ ସ୍ଥଳ ଚିତ୍ର, ଜିପିଏସ, ବାଇନାକୁଳର, ସ୍ପୋଟିଂ ସ୍କୋପ, ୱାକିଟକି, ନୋଟ ବୁକ, ପକ୍ଷୀ ଚିହ୍ନଟ ନିମନ୍ତେ ଚିହ୍ନିତ ଚିତ୍ର ପ୍ରଭୃତି ଦିଆଯାଇଛି। ଏକକ, ବ୍ଲକ ଏବଂ ସର୍କଲ ପଦ୍ଧତିରେ ପକ୍ଷୀ ଗଣନା କରାଯିବ।

ସନ୍ଧ୍ୟାରେ ସମସ୍ତ ଗଣନାକାରୀ ଟିମ ଆର୍ଦ୍ରଭୂମି ଅନୁସନ୍ଧାନ ଏବଂ ତାଲିମ କେନ୍ଦ୍ର (ସିଡିଏ) ଠାରେ ପହଞ୍ଚିବା ପରେ ଚିଲିକାରେ ପକ୍ଷୀ ସଂଖ୍ୟା ଓ ପ୍ରଜାତି ସମଷ୍ଟିକରଣ କରାଯାଇ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯିବା ନେଇ ଡ଼ିଏଫଓ ଅମ୍ଳାନ ନାୟକ କହିଛନ୍ତି।

Share This Article