୨୪ ଘଣ୍ଟାରେ ୨୨୭ ନୂଆ ଆକ୍ରାନ୍ତ, ଦେଶବ୍ୟାପୀ ୧୨୫୧ ସଂକ୍ରମିତ

Odisha Hot News
2 Min Read
Concept to represent the 2020 virus threat Coronavirus, blood in a test tube.

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍‌ ଦ୍ରୁତ ଗତିରେ ବଢ଼ୁଛି। ସୋମବାର ରାତି ସୁଦ୍ଧା ଭାରତରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୨୫୧ରେ ପହଞ୍ଚିଛି। ମୋଟ ୩୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏ ପର୍ଯ୍ୟନ୍ତ ୧୦୧ ଜଣ ସୁସ୍ଥ ହୋଇ ଫେରିଛନ୍ତି। ୧ ମାର୍ଚ୍ଚରେ ଦେଶରେ ମାତ୍ର ୩ଟି କରୋନା ମାମଲା ସାମ୍ନାକୁ ଆସିଥିଲା, ଯାହା କେବଳ କେରଳରେ ସୀମିତ ଥିଲା। ୨ ମାର୍ଚ୍ଚରୁ ଏହା ଅନ୍ୟ ଅଂଚଳକୁ ବ୍ୟାପିଲା ଏବଂ ଏବେ ଏହା ଗମ୍ଭୀର ରୂପ ନେବାକୁ ଯାଉଛି । ଆଜି ସକାଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ ୨୨୭ଟି ନୂଆ ମାମଲା ଆସିଛି। ୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଦେଶରେ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୭ ଥିଲା ଏବଂ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪୧୫ ଥିଲା। ଆଜି ୩୧ ମାର୍ଚ୍ଚରେ ସଂକ୍ରମଣ ପ୍ରାୟ ୩ ଗୁଣ ବଢ଼ିଯାଇ ୧୨୫୧ରେ ପହଞ୍ଚିଯାଇଛି। ଅନ୍ୟପକ୍ଷରେ ମୃତ୍ୟୁ ସଂଖ୍ୟା ମଧ୍ୟ ୪ ଗୁଣ ବଢ଼ିଯାଇ ୩୨ରେ ପହଞ୍ଚିଛି।

ଭାରତରେ ଏବେ ଗୋଷ୍ଠୀ ସଂକ୍ଯ୍ୟାୟ ଆରମ୍ଭ ହୋଇନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିବା ସହ ରାଜ୍ୟ ଏବଂ ଜିଲ୍ଲା ସୀମାଗୁଡ଼ିକରେ ପ୍ରବେଶ ରୋକିବା ପାଇଁ କଠୋର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମିରଟ୍‌ ସହରରେ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ କଟକଣା ଆହୁରି କଡ଼ାକଡ଼ି ହୋଇଛି ଏବଂ ୨୫ ମେ ପର୍ଯ୍ୟନ୍ତ ଧାରା ୧୪୪ ଜାରି ହୋଇଛି। ରାଜସ୍ଥାନରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୯୩ ପହଞ୍ଚିବା ପରେ ସବୁ ଜିଲ୍ଲାର ସୀମାରେ ଯାତାୟତ ରୋକିବାକୁ କଡ଼ା ବ୍ୟବସ୍ଥା ହୋଇଛି। ସେହିଭଳି ତେଲେଙ୍ଗାନାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୭୦ରେ ପହଞ୍ଚିଥିବାରୁ ରାଜ୍ୟ ସରକାର ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି। କର୍ଣ୍ଣାଟକରେ ଏ ପର୍ଯ୍ୟନ୍ତ ୯୮ଟି କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୬ ଜଣ ସୁସ୍ଥ ହୋଇ ଫେରିଛନ୍ତି। ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩୦ରେ ପହଞ୍ଚିଥିବାରୁ ଲକ୍‌ଡାଉନ୍‌ ବ୍ୟବସ୍ଥା ଶତ ପ୍ରତିଶତ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨୦୦ରେ ରହିଥିବା ବେଳେ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୮୭ରେ ପହଞ୍ଚିଛି। ଭାରତ-ନେପାଳ ସୀମାରେ ଅନୁପ୍ରବେଶକୁ ରୋକିବା ପାଇଁ ଗତକାଲିଠାରୁ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତରେ ପଶିବାକୁ ଚେଷ୍ଟା କରୁଥିବା କେତେକ ନେପାଳୀ ନାଗରିକଙ୍କୁ ଗିରଫ କରାଯାଇଛି। ଦିଲ୍ଲୀର ନିଜାମୁଦ୍ଦିନ ଅଂଚଳରେ ହୋଇଥିବା ଧାର୍ମିକ ସମ୍ମିଳନୀ ଯୋଗୁଁ ଉପୁଜିଥିବା ସ୍ଥିତି ନେଇ ଆଜି କେନ୍ଦ୍ର ମନ୍ତ୍ରିମଣ୍ଡଳର ଏକ ବୈଠକରେ ଆଲୋଚନା ହୋଇଛି।

Share This Article
Leave a Comment